Unknown

 

 

 

 

 

 

 

 

 

 

 

ଶୀତଳ ସୂର୍ଯ୍ୟ

ଶ୍ରୀ ତ୍ରିଲୋଚନ ଭୋଳ

 

ଉତ୍ସର୍ଗ

 

ଯେଉଁ ଫୁଲ ଫୁଟିବା ଆଗରୁ ଝଡ଼ିଯାଇଛି,

ଯେଉଁ ଦୀପ ଜଳିବା ଆଗରୁ ଲିଭିଯାଇଛି,

ଯେଉଁ ହସ ଝରିବା ଆଗରୁ ମରିଯାଇଛି,

ଯେଉଁ ଆଶା ଖୋଜିବା ଆଗରୁ ହଜିଯାଇଛି

............................ !

Image

 

କବି ଶ୍ରୀ ତ୍ରିଲୋଚନ ଭୋଳ ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ । ତାଙ୍କ ସୃଷ୍ଟିର ଏକ ପ୍ରାନ୍ତରେ ପ୍ରକୃତିର ସାବଲୀଳ ଚିତ୍ର କମନୀୟ ରୂପକଳ୍ପରେ ସଜ୍ଜିତ ଏବଂ ଅନ୍ୟ ପ୍ରାନ୍ତରେ ବୌଦ୍ଧିକ ଚେତନାର ତେଜୀୟାନ୍‌ ପୁରୁଷଟି ସର୍ବଦା ସତ୍ୟ, ଶିବ, ସୁନ୍ଦରର ଉପାସନାରେ ଆତ୍ମ ନିୟୋଗୀ । ଯନ୍ତ୍ରଣାର ବିୟୋଗାନ୍ତକ ସ୍ୱର ଭିତରୁ ଜୀବନ ସଙ୍ଗୀତର ମିଳନାତ୍ମକ ପ୍ରକୃତିକୁ ଠାବ କରିବାରେ ସେ ସଫଳ ହୋଇଛନ୍ତି । ଉକ୍ତ ସଂକଳନରେ ସନ୍ନିବେଶିତ କବିତା ମଧ୍ୟରୁ ଅଧିକାଂଶ ଆସନ୍ତା କାଲି, ଡଗର, ନବଜୀବନ, ପ୍ରଜାତନ୍ତ୍ର ଏବଂ ଅନ୍ୟାନ୍ୟ ପ୍ରତିନିଧି ଶ୍ରେଣୀୟ ପତ୍ର ପତ୍ରିକାରେ ପ୍ରକାଶିତ ଏବଂ ସ୍ୱୀକୃତ । ଅନ୍ୟ କେତେକ କବିତା ମଧ୍ୟ ଆକାଶବାଣୀ ଦ୍ୱାରା ପ୍ରଚାରିତ । ସଂପ୍ରତି ଶ୍ରୀ ଭୋଳ ସାହିତ୍ୟ ସାଧନାର କଣ୍ଟକିତ ପଥରେ ବିଶ୍ରାମହୀନ ପଥିକ ।

 

ପ୍ରକାଶକ

Image

 

ସୂଚୀପତ୍ର

 

୧.

ବିଦାୟ ବର୍ଷର ଦିନ

୨.

ତୂଳନା

୩.

ପ୍ରତିକ୍ଷୀତ ମୁହୂର୍ତ୍ତ

୪.

ଦୃଷ୍ଟିପାତ

୫.

ସୃଷ୍ଟିର ରଙ୍ଗ

୬.

ଉତ୍ତରାୟଣ

୭.

ସ୍ମୃତିର ଶୋକ

୮.

ସପ୍ତଗିରି

୯.

ନିର୍ବାକ୍‌ ଭାଷା

୧୦.

ମାଟିର କବିତା

୧୧.

ଗ୍ରୀଷମ ରାତି

୧୨.

ଶେଷ ଦର୍ଶନ

୧୩.

ପାପ

୧୪.

ତୃପ୍ତିର ମାଳା

୧୫.

ଅସମାପ୍ତ କବିତା

୧୬.

ଆଦିମ ଧୂପ

୧୭.

ଏକାନ୍ତ ବିରହୀ

୧୮.

ଗୋଧୂଳି ଯାତ୍ରା

୧୯.

ଉପହାର

୨୦.

ପ୍ରଥମ ରଜନୀ

୨୧.

କ୍ରମବିକାଶ

୨୨.

ପାହାଡ଼ର ରଙ୍ଗ

୨୩.

ଚଲାପଥ

୨୪.

ଆଶୀର୍ବାଦ

୨୫.

ଶ୍ରାବଣ

୨୬.

ଚିତ୍ର

୨୭.

ରାତି

୨୮.

ଡାକ୍ତରଖାନା

୨୯.

ମାନଚିତ୍ର

୩୦.

ପାନ୍ଥଶାଳା

୩୧.

ଅସ୍ତରାଗର ବୀଣା

Image

 

ବିଦାୟ ବର୍ଷର ଦିନ !

 

ଗୋଟିଏ ବର୍ଷ ବିତିଗଲା

ସଂଧ୍ୟା ହେଲା,

ଆକାଶର ମୁହଁଲୁଚା ଅନ୍ଧାର ଭିତରେ

କେତେ ଯେ ତାରାର ଫୁଲ

ବିଛାଡ଼ି ପଡ଼ିଲା

ଦୂର ଗାଆଁ, ଜନପଦ, ନିଶବଦ ହେଲା ।

 

ଗୋଟିଏ ବର୍ଷ ବିତିଗଲା

କେଡ଼େ ବେଗି

ବଗ ପରି ଡଗ ଡଗ ହୋଇ ଚାଲିଗଲା...

ନିଛାଟିଆ ମଫସଲ

ପୋଖରୀ ଗାଡ଼ିଆ

ଥିର ଜଳେ କେତେବେଳେ ଚାନ୍ଦ ଡୁବିଗଲା

କେତେ କଥା ଆସିଲା ଓ ଗଲା ।

 

କେତେ ଦୂର ସ୍ମୃତିର ସମୁଦ୍ରେ

ହଜିଗଲା ବେଦନାର ଢେଉ

କେତେ କେତେ ସପନର ନୀଳ ଆଖି ହ୍ରଦେ

ଭିଜିଗଲା ମଳୟ ଚିଟାଉ....

ଉଡ଼ିଗଲା ମନର କଠଉ ।

 

କେତେ କଥା ଆସିଲା ଓ ଗଲା

କେତେ ପଉଷର ଶୀତ

ଏ ଦେହରେ ବୁଣି ହୋଇଗଲା

କେତେ ବରଷାର ଗୀତ

ଏ ବୁକୁରେ ଗୁନ୍ଥି ହୋଇଗଲା

କେତେ ହଜିଗଲା ପୁଣି

ଫୁଲଭରା ବସନ୍ତର ଡାଲା

ସବୁ ତ ଏକେଲା ଆଜି

ନିହାତି ଏକେଲା ।

 

ସବୁ ଆଜି ଶୂନ୍‌ ଶାନ୍‌ ଏ ଜୀବନ ବୟସର ଘର

ଚାଲିଗଲା ବର୍ଷଟିଏ

ଆହା କେତେ ହୋଇ ନିର୍ବିକାର !

 

ତା ୩୧ ଡିସେମ୍ୱର ୧୯୭୬

ତିରୁମଳା (ତିରୁପତି)

Image

 

ତୂଳନା

 

ତୁମର ତମ୍ୱା ରଙ୍ଗର ଦେହ ସହିତ

ଜଳଭରା ପିତଳ ମାଠିଆର ରଙ୍ଗ ମିଶି ଯାଇଛି ।

କେଉଁ ଶିଳ୍ପୀର ନିଖୁଣ ଚିତ୍ର ପରି

ତୁମରି ନିପୁଣ ଅଙ୍ଗଭଙ୍ଗୀ

ବଡ଼ ଚମତ୍କାର ଦିଶୁଛି,

ଅପରାହ୍ନ ନଇଁ ଆସୁଛି ।

 

ଆକାଶରେ ଖଣ୍ଡେ ଖଣ୍ଡେ ଭସାଣିଆ ମେଘର ବୋଇତ

ତୁମରି ଭସା ଆଖି ପରି ଆକର୍ଷଣୀୟ,

ତୁମରି ସଜଡ଼ା ଗଭା

ମହୁମାଛିର ଫେଣା ପରି ଲୋଭନୀୟ,

କପାଳରେ ଚନ୍ଦନଟିପାର ଶୀତଳ ଚନ୍ଦ୍ରୋଦୟ

ଖୁବ୍‌ ମନୋହର,

ତୁମେ କି ଗୋ ପୃଥିବୀର

ଲୀଳାମୟୀ ପ୍ରକୃତି ସୁନ୍ଦର ?

 

ତୁମେ କି’ ଗୋ ସେଇ ସତ୍ୟ, ଶିବ, ସୁନ୍ଦରର ଛବି

ରୂପର ଜାହ୍ନବୀ

ତୁମେ କି’ ଗୋ ବସନ୍ତର ମଳୟ ଉଜୁଡ଼ା

ହସନ୍ତ ବଉଳ

ଯା’ରେ ଦେଖି କବି ହୁଏ

ନିତି ନିତି ଭାବନାବିହ୍ୱଳ ?

 

ତା ୨-୧-୭୭

ତିରୁମଳା (ତିରୁପତି)

Image

 

ପ୍ରତିକ୍ଷୀତ ମୁହୂର୍ତ୍ତ

 

ଏକୁଟିଆ ପାହାଡ଼ଟା

ନିଛାଟିଆ ଆକାଶକୁ ମୁଣ୍ଡେଇ

ଠିଆ ହୋଇଛି ।

ମଝିରେ ମଝିରେ ତା’ର ଆନ୍ଦୋଳିତ ଶୁଭ୍ର ଡେଣା ପରି

ଧଳା ବଉଦ କଣ୍ଡେ ଚହଲି ଉଠୁଛି

ଆଜି ଭାରି ନିଶୂନ୍‌ ଲଗୁଛି !!

 

ଅନେକ ସ୍ମୃତିର ତରଙ୍ଗ ଉପରେ

ଭାସି ବୁଲୁଚି ମୋ ମନର କାଗଜ ଡଙ୍ଗା

ଆକାଶ ପରି ନିଛାଟିଆ

ଏ ହୃଦୟର ଉପତ୍ୟକା-

ପ୍ରାଣର ଆବେଗସବୁ

ମଉଳା ଫୁଲ ପରି ଗନ୍ଧହୀନ

ସ୍ୱପ୍ନସବୁ ଅବାସ୍ତବ !

 

ଏ ଦିନ କଅଣ ସରିବ ନାହିଁ ?

ଦିଗନ୍ତର ଫିକା ଓଠେ

ନାଲି ସୂର୍ଯ୍ୟର ଲିପ୍‌ଷ୍ଟିକ ଦିହୁଡ଼ି–

କଅଣ ଜଳିବ ନାହିଁ ?

ଆଉ ତୁମର ଘୁମନ୍ତ ନୟନ ପରି

ପ୍ରଥମ ସଂଧ୍ୟାର ସେଇ ଛାୟାରାଗ

ପୃଥିବୀକୁ କଅଣ

ଓହ୍ଲାଇ ଆସିବ ନାହିଁ ???

 

ମୁଁ ଅପେକ୍ଷା କରିଛି

ସେଇ ମୁହୂର୍ତ୍ତକୁ ।

 

ତା ୧୦-୧୨-୭୬

ତିରୁମଳା (ତିରୁପତି)

Image

 

ଦୃଷ୍ଟିପାତ

 

ଦେଖେ ଯହିଁ ବନେ ବନେ ସବୁଜ ଏ ପତରର ଧାଡ଼ି

ଭାବେ କେତେ କବିତାର ଡେଣା ଏଠି ପଡ଼ିଅଛି ଛିଡ଼ି

ଉଦାସ ଆକାଶୀ-ତାରା ଭାଙ୍ଗି ଅବା ନିଶୀଥିନୀ ଯୂଡ଼ା

ଏ ବନର ଲତା କୁଞ୍ଜେ ହସୁଅଛି ହୋଇ ଫୁଲତୋଡ଼ା ।

 

ଏ ବନର ଝର ଝର ଝରଣାର ମନଭୁଲା ସ୍ୱର

ଭାବେ ଅବା ଆସିଅଛି ଭାଙ୍ଗି ତୁମ ହୃଦୟ ଦେଶର

ମମତା ନଦୀର ବନ୍ଧ; ଲାଗେ ଭଲ ଭଲ ଲାଗେ ଆହା

ଏ ସୂର୍ଯ୍ୟ ଆଣିଛି ଅବା ଲୁଟି ତୁମ ସିନ୍ଦୂର ଫରୁଆ ।

 

କେଉଁ ପାଦଦେଶେ ନୀଳ ଶୈବାଳର ଦୋଳିତ ଆବେଗ

ତୁମରି ନିଦ୍ରିତ ଅଙ୍ଗେ ବିଚ୍ଛୁରିତ କବରୀର ରାଗ

ଦେଇଯାଏ ବେଳେ ବେଳେ; ଜାଗିଉଠେ ତରୁଣ ଏ କବି

ଜାଗିଉଠେ ଏ ମନର ସ୍ୱରଭୁଲା ଆଶାର ପୂରବୀ ।

 

ଡିସେମ୍ୱର, ୧୯୭୬

ତିରୁମଳା (ତିରୁପତି)

Image

 

ସୃଷ୍ଟିର ରଙ୍ଗ

 

ମୋର ଏଇ ଟୋପି ପରି

ଆକାଶୀ ରଙ୍ଗର ପାହାଡ଼

ତା’ ଉପରେ ବିଚିତ୍ରବର୍ଣ୍ଣା ଫୁଲର ପର,

ସମୁଦ୍ରର ଅଙ୍ଗ ପରି

ଦୂରୁ ଦିଶେ ଦିଗନ୍ତର ଧାର ।

 

ଜନହୀନ ପଥ

ଶୋଇ ଶୋଇ ହାଇ ମାରେ

ଶୂନ୍ୟରେ ଭାସିବୁଲେ ଏକ ଶଙ୍ଖଚିଲ

ମେଲାଇ ଡେଣାର ପାଲ

ଲକ୍ଷ୍ୟ ତା’ର ସେଇ

ନୀଳ ଜଳଧାର

ପାହାଡ଼ର ଖୋଲ ।

 

ମୋ ଗାଆଁର ସଞ୍ଜଫୁଟା ଫୁଲ ବଗିଚାରେ

ଉଡ଼ନ୍ତା ପ୍ରଜାପତି ପରି

ଏଠି ବି ବେଳେ ବେଳେ

ଉଡ଼ିଯାଏ ଚିତ୍ରିତ ମେଘର ଶାଢ଼ୀ

ନରମ ଶିଶିରର ପରାଗ ଝାଡ଼ି

ଏ ଦେହ ଉପରେ..... ।

 

ଖୁବ୍‌ ଭଲ ଲାଗେ ଚାହିଁବାକୁ

ଦୂର ଦୂରାନ୍ତରେ

ଏକାନ୍ତ ନିର୍ଜନରେ ।

 

ଖୁବ୍‌ ଭଲଲାଗେ ଦେଖିବାକୁ

ଏଇ ପୃଥିବୀକୁ;

ତରୁଣ ବୟସର ପୃଷ୍ଠାରେ

ମନେହୁଏ ଏ ସୃଷ୍ଟିର ସମସ୍ତ ରଙ୍ଗ

ଆଜି ବୋଳିବାକୁ ।

କେଉଁ ମୁଲାୟମ ସ୍ୱପ୍ନରେ

ଆହା ! ଭରିଉଠେ ବୁକୁ ।

 

ତା ୧୮ ଡିସେମ୍ୱର ୧୯୭୬

ତିରୁମଳା (ତିରୁପତି)

Image

 

ଉତ୍ତରାୟଣ

 

ପ୍ରୀତିର ବସନ୍ତ ଡାଳ, ଫୁଲ, ଫଳ

କେତେ ଉଚ୍ଚ, ପାଏ ନାଇଁ ହାତ

କେତେ ଦୂରେ ସରାଗର ଶୀତଳ କଲ୍ଲୋଳ

ଛୁଏଁ ନାହିଁ ସନ୍ତାପିତ ହୃଦୟର କୂଳ

କେତେ ଦୂରେ ମରମଉଜୁଡ଼ା ବେଣୁର ସଙ୍ଗୀତ

ହସନ୍ତ ବଉଳ !

କେତେ ଦୂରେ, କେତେ ଦୂରେ ତୁମ ଜୀବନର ଦୀର୍ଘ

ମହାସାଗରୀୟ ଶାନ୍ତ, ମୌସୁମୀର ସ୍ରୋତ

କେତେ ଦୂର ପଥ ?

ଚାହିଁଛି ମୁଁ କେତେ ଦିନୁ ମୂକ, ମୌନ ଗିରି

ଆସିଲେ ମୋ ପାଶେ ପ୍ରିୟ ତୁମକୁ ଆଲିଙ୍ଗି ଥରେ

ବୁହାଇବି ବୁକେ ମୋର ଅମୃତର ବାରି ।

 

ତା ୧୧-୧-୭୭

ତିରୁମଳା (ତିରୁପତି)

Image

 

ସ୍ମୃତିର ଶୋକ

 

ଏଇ ଆକାଶର ଯେତେ ଅନନ୍ତ ନୀଳିମା

ମନଭରି ପିଇବାକୁ ଚାହେଁ

ଏଇ ଦିଗନ୍ତର ଯେତେ ରେଖାରେ ରେଖାରେ

ମୋ ମନର ବୋଇତ ଭସାଏ

ତୁମରି ସ୍ମୃତିର ଦେଶ-ଉପକୂଳ ଯାଏଁ !

ପ୍ରତିଦିନ, ପ୍ରତିଟି ସମୟ

ନାଚି କୁଦି ଚାଲିଯାଏ ଏ ଜୀବନ କରି ଛନ୍ଦମୟ

ହଠାତ୍‌ ସକାଳ ଆସେ

ପୁଣି ଥରେ ସଞ୍ଜ ଆସେ ଚାଲି

ମନର ବେପଥୁ କେତେ

ପବନରେ ଉଠଇ ଦୋହଲି,

ପାରେନା ମୁଁ ତା’ରେ ସବୁ କରି ଆପଣାର

ନିଜଠୁ ନିକଟତମ ହୋଇ ଯାଏ ଦୂର, ଦୂରାନ୍ତର !

 

କେବେ ଯଦି ମୁଖ ତୋଳି

ଚଉଦିଗେ ଅନାଏଁ ଗୋ ଫେରି

ଏକ ପରେ ଏକ ଦୃଶ୍ୟ

ସେଇ ବନ, ପାହାଡ଼ର ଶିରୀ,

କେତେ ପଥ, କେତେ ନଦୀ

କେତେ ବିଲ, ପାଟ

କେତେ ଜୀବନର ମାୟା

ଶେଷହୀନ ମମତାର ହାଟ

ଲାଗେ ସୃଷ୍ଟି ମହାନ୍‌, ବିରାଟ ।

 

ଗୋଟି ଗୋଟି କରେ ମୁଁ ତୂଳନା

ଏଇ ଆକାଶରୁ ବଳି

ତୁମରି ସେ ଅନାବିଳ ପ୍ରେମର ଚେତନା

କେଉଁଦିନ ମେଲିବ ତା’ ଡେଣା ?

ସେଦିନ ସୁଦୂର ଦେଶ

ନଦ, ନଦୀ, ବନସ୍ତର ପାରେ

ତୁମକୁ ପାଇବି ଖୋଜି

ମୋ ନିଜର ନିଭୃତ କନ୍ଦରେ,

ସେଦିନ ତୁମରି ଲାଗି ଏଇ ମୋର ସ୍ମୃତି-ଶୋକମାଳା

ଦୀପସଜ ଜଳୁଥିବ ଉଜଳାଇ ମୋ ମନର ବେଳା ।

 

ତା ୨୨-୧୧-୭୬

ତିରୁମଳା (ତିରୁପତି)

Image

 

ସପ୍ତଗିରି

 

ପବିତ୍ର ତିରୁପତି ମନ୍ଦିର ଯେଉଁ ପାହାଡ଼ମାଳା ଉପରେ ଅବସ୍ଥିତ, ତାହାକୁ ‘ସପ୍ତଗିରି’ ନାମରେ ଅଭିହିତ କରାଯାଇଛି ।

 

କୁହୁଡ଼ି ଓ ମେଘରେ ଢଙ୍କା ଆକାଶର ମୁହଁ

ମଇଳା କାଗଜ ପରି

ଝାପ୍‌ସା ଦିଶେ ଦିନର ଆଲୁଅ

ଟୁପ୍‌ ଟାପ୍‌ ଶବ୍ଦ ବରଷାର

କେଉଁ କ୍ଳାନ୍ତ ନଟୀର ବେପଥୁ ନୂପୁର ପରି

ଖୋଲିଯାଏ ଛନ୍ଦହରା ସୁର ।

 

ଯେ ଦିଗେ ଅନାଏଁ ଦେଖେ

ସବୁଜିମା, ବନର ପାଚେରୀ

ଏଇ ସପ୍ତଗିରି

ବେଳେ ବେଳେ ଆଖି ସାଙ୍ଗେ ଖେଳେ ଲୁଚକାଳି,

ଢେଉ ପରି ମିଶିଯାଏ ଦୂର ସେଇ ଦିଗନ୍ତ ବେଳାରେ

ବେଳେ ବେଳେ ସ୍ୱପ୍ନ ପରି

ମନୋମୟ ଦିଶେ ।

 

ବେଳେ ବେଳେ ନିଃଶବ୍ଦ ବନର ସୀମାନ୍ତୁ

ବାଜିଉଠେ ନିଭୃତ ଝରଣାର ବଂଶୀ

ବିହଙ୍ଗର ଝରିଲା କାକଳୀ

କାନରେ ଅଜାଡ଼ିଯାଏ

ଶତ ମୃଦୁ-ତରଙ୍ଗର ସଂଗୀତ କୁହେଳି ।

 

କେଉଁଠି ଅଙ୍କା ବଙ୍କା ରାସ୍ତାଟିଏ

ଧବଳ ଲଟାର ପରି

ଉଠି ଉଠି ପାହାଡ଼ ମୁଣ୍ଡକୁ ଛୁଏଁ

କେଉଁଠି ବା ଏକୁଟିଆ ଗଛଟିଏ

ସବୁଜ ପତ୍ରର ଡେଣା ମେଲି

ଆକାଶକୁ ଉଠିବାକୁ ଚାହେଁ ।

 

ସବୁ କିଛି ଭଲଲାଗେ,

ଭଲଲାଗେ ଦୃଶ୍ୟ......

କୁହୁଡ଼ି ଚାଦର ତଳେ

ଘୁମନ୍ତ ଏ ପୃଥିବୀର ହାସ୍ୟ

 

ଶିଶୁ ପରି ଲାଗେ ଛଳଛଳ

ମନେହୁଏ ନିଭୃତ ଝରଣା ପରି

ସଂଗୋପନେ ମିଶିଯାଇ

ସାଉଁଟନ୍ତି ଏ ମନର କେତେ ରସାତଳ ।

 

ତା ୨୪ । ନଭେମ୍ୱର । ୧୯୭୬

ତିରୁମାଳା (ତିରୁପତି)

Image

 

ନିର୍ବାକ୍‌ ଭାଷା

 

ରାସ୍ତା ଓ ପାହାଡ଼ର ଭେଟାଭେଟି

ସେଇ ନିର୍ଜନ୍‌ ନଦୀର କୂଳେ;

ସାନ, ବଡ଼ କଳା କଳା ମୁଗୁନି ପଥର ଯେଉଁଠି

ଚୁମୁଥାଏ ଧରଣୀର ମାଟି ।

ପୃଥିବୀ ଓ ଆକାଶର ଭେଟାଭେଟି

ସେଇ ଘୁମନ୍ତ ଦିଗନ୍ତ ଧାରେ

ଯେଉଁଠାରେ ପ୍ରତିଦିନ

ଏକୁଟିଆ ତାରା ଏକ ଅନାଏଁ ତରାଟି

ଦେଖିବାକୁ ସଞ୍ଜର ମୁହଁଟି ।

ତୁମର ଓ ମୋର ଭେଟାଭେଟି

ସେଇଠାରେ.....

ସେଇ ଶାନ୍ତ, ଚେତନାର ନୀଳ ଲଫାପାରେ

ଯେଉଁଠି ହୃଦୟ ପାଲଟେ ଏକ

ନିର୍ବାକ୍‌ ଭାଷାର ସ୍ରୋତଟି ।

 

ତା ୨୧ । ନଭେମ୍ୱର । ୧୯୭୬

ତିରୁମଳା (ତିରୁପତି)

Image

 

ମାଟିର କବିତା

 

ଅତୀତର ପାଦେ

‘ବର୍ତ୍ତମାନ’ର ଦେହ ମୋ ହୋଇଚି ଠିଆ

ଭବିଷ୍ୟତର ଚିନ୍ତା ଗୋ ମୋର ସଜ ଫୁଲ ପରି ନୂଆ

ଚାଲିବାର ପଥ ପୁରୁଣା ହୋଇଚି ଯାହା ।

ଅତୀତର ଶତ ଧର୍ମର ଉପଦେଶ

ପାଏ ଗୋ ଜୀବନ ବର୍ତ୍ତମାନର ମୁଖେ

ବର୍ତ୍ତମାନର ଯେତେକ ବେଦନା-ପ୍ରାସ

ଭବିଷ୍ୟତର ବୁକେ ତା’ର ଭାଷା ଲେଖେ ।

ଅତିତର ଯେତେ ଭଲ ପାଇବାର କଳା

ବର୍ତ୍ତମାନର ମାଟିରୁ ସେ ଉଠେ ଜୀଇଁ

ଭବିଷ୍ୟତର ସବୁଜ ବୃନ୍ତ ପରେ

ଯେ ଦିନ ଫୁଟିବ ଜୀବନ୍ତ ଫୁଲ ହୋଇ

ସେଦିନ ମୁହଁ ଗୋ

ତୋଳିନେବି କରେ ମାଟିର କବିତା ଗାଇ ।

 

ତା ୨୮ । ୧୧ ।୭୬

ତିରୁମଳା (ତିରୁପତି)

Image

 

ଗ୍ରୀଷମ ରାତି

 

ଆସିଛି ଗ୍ରୀଷମ ରାତି

ଅନ୍ଧକାର ପଡ଼େ ଗୋ ଅଜାଡ଼ି

ବନାଗ୍ନିର ବର୍ଣ୍ଣମାଳା

ବହୁଦୂରେ ପଡ଼ିଛି ବିଛାଡ଼ି

ସନ, ସନ ସମୀରଣ

ଛୁଇଁଯାଏ ଘଞ୍ଚ କିଆବନ

ଏ ପାରି ବିଲୁଆ ଡାକ

ସେ ପାହାଡ଼େ ତୋଳେଇ କମ୍ପନ ।

 

ବିଗୁଲ୍‌ ବଜାଇ ଧାଏଁ

ଧୂଆଁ ଛାଡ଼ି ଦୂରେ ମାଲଗାଡ଼ି

ଚିଲିକାର ନୀଳ ଜଳେ

ମୁଠା ମୁଠା ତାରାର କଉଡ଼ି

ବିଞ୍ଚିଦେଇ ହସିଉଠେ

ଆକାଶର ସୁପ୍ତ ଛାୟାପଥ,

ହସିଉଠେ ନଈପଠା

ଭାସିଉଠେ ନାଉରିଆ ଗୀତ ।

 

ଆସିଛି ଗ୍ରୀଷମ ରାତି

ଯାଇଛି ଗୋ ମଧୁମାସ ବିତି

ମାଟିର ବୁକୁରେ ଭରି

ଅସହଣୀ ବେଦନାର ତାତି,

ଯାଇଛି ବସନ୍ତ ଚାଲି

କୁସୁମର ଶଂଖକୁ ବଜାଇ

ରହିଅଛି ଯାହା ଖାଲି

ଚିଲିକାର ନୀଳବ୍ୟଥା ଏଇ !

 

ରହିଛି ଆହୁଲାମରା

ବେଦନାର ଉତ୍ତପ୍ତ ପରଶ

ନିଃସଙ୍ଗ ନୀରବତାର

ଯୁଗବ୍ୟାପୀ ଶେଷହୀନ ଶୋଷ !!!

 

ତା ୧୫ । ମାର୍ଚ୍ଚ । ୧୯୭୬

ବାଲୁଗାଁ

Image

 

ଶେଷ ଦର୍ଶନ

 

ତୁମେ ଚାଲିଗଲ ପଥପ୍ରାନ୍ତରେ ନିଃଶବ୍ଦ ପଦପାତେ

ବେଦନାର ଏକ କରୁଣ ବଂଶୀ ଧରାଇ ଦେଇ ମୋ ହାତେ

ତୁମେ ଚାଲିଗଲ ଦୂର, ବହୁଦୂର ଦିଗନ୍ତ ତଳେ ମିଶି

ବନଭୂମି ରେଖା ଯହିଁ କଜ୍ଜଳଲେଖା ପରି ଉଠେ ହସି ।

 

ତୁମେ ଚାଲିଗଲ ଆଶାହରା ଏକ ପୃଥିବୀ ମୋ ବୁକେ ଥୋଇ

ବ୍ୟଥାହତ ସୁରେ କାନ୍ଦେ ନିରତେ ଯହିଁ କପୋତୀଟେ ରହି

ଉଠେ ନିର୍ଜନେ ଭଗ୍ନଛନ୍ଦ ବେଣୁର ଲହରୀ ପ୍ରାସ

କାହିଁ ଚାଲିଗଲ ମଧୁ ବିଳାସିନୀ ଫଗୁଣ ହୋଇନି ଶେଷ !

 

ତୁମେ ଚାଲିଗଲ–ଝରି ନାହିଁ ଝରା କଦମ୍ୱ ଫୁଲୁ ମହୁ

ତୁମେ ଚାଲିଗଲ–ସରି ନାହିଁ ଶେଷ ସରାଗର କ୍ଷତ ବହୁ

ଲିଭି ନାହିଁ ଏକା ପ୍ରିୟ ପ୍ରାଣଲେଖା ଭଲ ପାଇବାର କଳା

କାହିଁ ଲିଭିଗଲ ବିଦ୍ୟୁତ ଲତା ଆବୋରି ବଉଦମାଳା !

 

ତୁମେ ଚାଲିଗଲ ଏ ପଥପ୍ରାନ୍ତେ ଅନ୍ତିମ ସ୍ୱର ସମ

ବିଜନତା ଭାରେ ଏ ମୋର ବଂଶୀ ଡାକଇ ତୁମରି ନାମ

 

 

ତୁମେ ଚାଲିଗଲ ବାୟୁ ଦକ୍ଷିଣା ତନୁ, ମନ ମୋର ଛୁଇଁ

ନିଃସଙ୍ଗ ମୋର କପୋତୀ କାନ୍ଦେ କାହିଁ ମୋର ସାଥୀ କାହିଁ !!

 

ତା ୨୪ । ମେ । ୧୯୭୭

ବାଣପୁର

Image

 

ପାପ !

 

ପାପ !

ତୁମରି କଣ୍ଟାର ସହସ୍ର ଦଶଂନରେ

ରକ୍ତାକ୍ତ କର ମୋର ହୃଦୟ,

ମତେ ଶାନ୍ତ କର !

ମୋର ଉଜୁଡ଼ା ଜୀବନର କ୍ଷେତକୁ

ତୁମର ଶକ୍ତ ନଖର କୋଦାଳରେ

ଚିରିଦିଅ,

 

ମୋର ମନର ନିଥର ଆକାଶ ଆଖିରେ

ତୁମରି ଦହନର ଅଗ୍ନି

ସଂଯୋଗ କର

ଆଉ ଏଇ ମୋର

ଢଳ ଢଳ ସୁକୋମଳ ପ୍ରାଣର

ଫୁଟନ୍ତା ପଦ୍ମରେ

କଣ୍ଟକିତ ନାଡ଼ର ସୂତା ଝୁଲାଇ ଦିଅ

ଚନ୍ଦ୍ରରେ କଳଙ୍କ ଦିଅ !!

ପାପ !

 

ତୁମରି ଅସରନ୍ତି ରାସ୍ତାର ଧାରେ

ଚାଲିଛନ୍ତି କେତେ ମୋର ପୂର୍ବପୁରୁଷ,

ମୃଗତୃଷ୍ଣାର ଶୋଷ ନେଇ;

ତୁମରି ଦିଗନ୍ତର

ଶୂନ୍ୟ ଉଦ୍ୟାନରେ

ମିଳାଇ ଯାଇଛି ସେମାନଙ୍କର ପାଦଚିହ୍ନ

ପୁଣ୍ୟର ଇତିହାସରେ ଲମ୍ୱି ଆସିଛି

ଦୁର୍ଭାଗ୍ୟର ସାୟାହ୍ନ !!

ପାପ !

 

ତୁମକୁ ଆଜି ନମସ୍କାର

ଯେହେତୁ ତୁମେ ପୁଣ୍ୟର ସହୋଦର ।

Image

 

ତୃପ୍ତିର ମାଳା

 

ନିଃଶବ୍ଦ ରାତିର ମୌନ ପଦପାତ ପରି

ତୁମ ହୃଦୟର ସଂଗୀତ ଶୁଣାଯାଏ,

ଅନେକ୍‍ ଦୂର, ଦୂରାନ୍ତରେ ।

ତୁମର ଅବିସ୍ମରଣୀୟ ମମତାର ଉଷ୍ମନୀଡ଼ରେ

କେତେ ଘଟଣାର ଭଙ୍ଗା କୁଟା, କାଠି

ଲାଖି ରହେ ଧୀରେ ।

ମନେ ହୁଏ ତୁମରି ଏ ରାତିର କୁନ୍ତଳରେ

ଆକାଶର ଅଞ୍ଜଳିରୁ

ତାରାଫୁଲ ବିଞ୍ଚି ହୋଇପଡ଼େ ।

ଏଇ ଆଉଟା ଜ୍ୟୋତ୍ସ୍ନାର ରଙ୍ଗ ପରି

ତୁମ ରୂପଶ୍ରୀର କବିତା,

ଏଇ ସବୁଜ ଧରିତ୍ରୀର ବିସ୍ତୃତି ପରି

ତୁମ ହୃଦୟର ଉଦାରତା

ତୁମ ଆଖିର ଚିତ୍ରିତ ନୀଳ ଭ୍ରୂଲତା

ସଞ୍ଜର ଦିଗନ୍ତଠାରୁ

ଆହୁରି ଶାନ୍ତ, ସୁନ୍ଦର ।

ସବୁଠାରୁ ସୁନ୍ଦର ତୁମର ଜୀବନ

ଯା’ ଭିତରେ ଦିନେ

ବହି ଯାଇଥିଲା ଛଳ ଛଳ ହୋଇ

ବୟସର ପାହାଡ଼ୀ ନଈ ।

ଅନେକ ଅନୁଭୂତିର ଦୀର୍ଘ ଷେତ ଚାରିପାଖେ

ଯେଉଁଠି ଠିଆ ହୋଇଥିଲା ଦିନେ

ନିଷ୍ଠୁର ବେଦନାର କଣ୍ଟାବାଡ଼

ତା’ର ଆରପଟେ ଆରମ୍ଭ ହୋଇଥିଲା

ଗୋଟିଏ ପରେ ଗୋଟିଏ ଅଶାନ୍ତ ପାହାଡ଼ !!

ସବୁ ପାରହୋଇ

ସମସ୍ତ ଅତିକ୍ରମ କରି

ତୁମ ଜୀବନର ନିଷ୍ଠୁର ସତ୍ୟର ଚାରା

ଧରଣୀ ଉପରେ ଅଙ୍କୁରି ଉଠିଲା;

ସୂର୍ଯ୍ୟର ଆଲୋକରେ

ତୁମ ବିକଶିତ ଫୁଲର ପାଖୁଡ଼ା

ରଙ୍ଗ ବୋଳି ହେଲା,

ତୁମରି କଣ୍ଠର ତାରେ

ପ୍ରଭାତ କାକଳି ତା’ର ଝଙ୍କାର ଦେଲା,

କପାଳରେ ତୁମ ଦୀପ୍ତ ସୂର୍ଯ୍ୟର ଦିହୁଡ଼ି ଜଳିଲା

ହେ ପ୍ରଜ୍ଞାର ନୈସର୍ଗିକ ବାଳା !

ତୁମେ ହିଁ ପିନ୍ଧିଲ ସେଇ

ଅମଳିନ ତୃପ୍ତିର ମାଳା ।

Image

 

ଅସମାପ୍ତ କବିତା

 

ଜୀବନର କେତୋଟି ଫଗୁଣ ଫୁଲର

ରଙ୍ଗ ଆଉ ମହୁର ସ୍ୟାହିରେ

ଲେଖିଲି ମୁଁ ଅନନ୍ତ କବିତା,

ଖୋଜିଲି ମୁଁ ସ୍ମୃତିର ସେ

ଅନେକ, ଅନେକ ଦରଭୁଲା କଥା;

 

ଅନେକ ତିମିରର ଆକାଶୀ ତାରାର ଅକ୍ଷର

ଆଖିର ପୃଷ୍ଠାରେ ଖଞ୍ଜି

ଭରିଲି ମୋ ହୃଦୟର ଅଜଣା, ନିସ୍ତବ୍‌ଧ ସହର

ତଥାପି ସରି ନାହିଁ ପଢ଼ା, ଲେଖା

ଆଉ କିଛି ଅଛି ଅବା

ଦେବା ପାଇଁ ସମୟ ସ୍ୱାକ୍ଷର ।

 

ସକାଳର ଚିବୁକରୁ ରକ୍ତିମାର ଲେଖା କଲି ଚୋରି

ମାଟିର ମଲାଟେ ଦେଲି

ଜୀବନ ଯନ୍ତ୍ରଣାର

କାବ୍ୟିକ ଚାତୁରୀ.....

ତା’ ପରେ ଲେଖିଲି କେତେ

ଅବକ୍ଷୟ ପରାଣର

ଅଶ୍ରୁଳ ଭୂମିକା,

ତଥାପି ସରିଲା ନାହିଁ

ଏ ଅନନ୍ତ ଅଧ୍ୟାୟର

ଅସମାପ୍ତ ଲେଖା ।

 

ମଧ୍ୟାହ୍ନର ଅବକାଶ,

ସଞ୍ଜର ତୁଳସୀ ଚଉଁରା

ନିଛାଟିଆ ଗାଆଁ ଭୂଇଁ

ଓହଳା ନିମ୍ୱର ଡାହିରେ

ଏକୁଟିଆ କପୋତୀ ଡାକରା

ଚୁପ୍‌ ଚାପ୍‌ ଧୂଆଁର କୁଣ୍ଡଳୀ ଖୋଲି

କେଶବତୀ ହୋଇଯାଏ

କେତେ ବେଳୁ ସୁନ୍ଦରୀ ତରା ।

 

ସବୁ କିଛି ସୁନ୍ଦର, ଅସୁନ୍ଦର ଗୋଟାଇ ଗୋଟାଇ

ଭରିଲି ମୋ ପରାଣ-ଟୋକେଇ,

ସରାଗ ଅଜାଡ଼ି ମୋର

ଖୋଜିଲି ମୁଁ କବିତା’ରେ କେତେ

ତଥାପି ସରିଲା ନାହିଁ

ପ୍ରାଣ ଲେଖା

ସଞ୍ଜେ ବା ପ୍ରଭାତେ ।

 

ଏଇ ଅସମାପ୍ତ କବିତା’ରେ ମୋର

ଅଧାଜହ୍ନ, ମଲାତାରା

ଦରନିଭା ସୂର୍ଯ୍ୟର ସିନ୍ଦୂର

ମଇଳା ଆକାଶର କପାଳ

କେଉଁ ହତାଶୀର ଭାଗ୍ୟ ପରି

ବହୁରୁଦୂ ଦିଶେ ଅସ୍ୱଚ୍ଛଳ !

 

ତା ୧୭ । ଅଗଷ୍ଟ । ୭୬

ବାଲୁଗାଁ

Image

 

ଆଦିମ-ଧୂପ

 

ଏଇ ନିଶୀଥ ରାତିର ଚନ୍ଦ୍ର

ମୋର ଏକାନ୍ତ ନିର୍ଜନର ବିଦଗ୍‌ଧ କବିତା;

ବିଚ୍ଛୁରିତ ତାରକାର ଜ୍ୱଳନ୍ତ ସଳିତା

ଚୁମା ଦିଏ ମୋ ଅନ୍ଧାରୀ ଅତୀତର ସ୍ମୃତି ଦୀପରୁଖା

ମୋ ଜୀବନ-ପତ୍ର ହିଁ ଗୋ

ତୁମ ସେଇ ଲୋତକରେ ଲେଖା !

 

ମୋ ଦେହର ଏ ଶୋଣିତ

ତୁମରି ସେ ଅରୁଣିତ ଅଭିମାନେ ଲାଲ୍‌

ତୁମ ପ୍ରୀତି-ଉଚ୍ଛ୍ୱାସିତ ମମତାର ସୁବର୍ଣ୍ଣ ଫସଲ

ଅନୁରାଗ କ୍ଷେତରେ ମୋ

ହୁଏ ଝଲମଲ ।

 

ସ୍ନେହର ତୀର୍ଥରେ ପକାଏ ମୁଁ ଡୁବ;

ସମୟକୁ କରେ ନମସ୍କାର ।

 

କହିଉଠେ ହେ ସମୟ !

ମୁଁ ନୁହେଁ ଶୀତଳ ନଦୀ

ଅବା କେଉଁ ଫୁଲଫୁଟା ପୁଷ୍କରିଣୀଟିଏ

ମୁଁ ନୁହେଁ ସକାଳ ଲେଖା

ମଲା ସଞ୍ଜ ଯା’ରେ ପୋଛିନିଏ......

 

ମୁଁ ନୁହେଁ ବସନ୍ତ ଫୁଲ

ଗ୍ରୀଷମରେ ପଡ଼ିଯିବି ଝରି

ମୁଁ ନୁହେଁ ଯୌବନ ଅବା

ଗଲେ ଥରେ ନ ଆସିବି ଫେରି

ମୁହିଁ ଚିର ମମତା’ର ରୂପ,

ସୃଷ୍ଟିର ଆଦିମ କାଳୁ

ଲିଭି ନାହିଁ ଯା’ର ପ୍ରାଣ-ଧୂପ ।

 

ମୁଁ ଜଳୁଛି, ଜଳୁଥିବି

ଯେତେ ଦିନ ଏ ସୃଷ୍ଟିରେ ଥିବ ଲୀଳା, ଖେଳା

ମୃତ୍ୟୁ ନାହିଁ, ନାହିଁ ମୋର

ଅଙ୍ଗେ ନାହିଁ କଳଙ୍କର କଳା !

 

ତା ୧୯-୯-୭୬

ବାଣପୁର

Image

 

ଏକାନ୍ତ ବିରହା

 

ମାଇଲ୍‌, ମାଇଲ୍‌ କ୍ଷେତର ସୀମାନ୍ତ ଡେଇଁ

କିଆ ବଣ, କଣ୍ଟା ବଣ, ନିଛାଟିଆ ନଈ ପାରହୋଇ

ଅମାନିଆ ଢେଉ ପରି

ତୁମରି ସେ ଆବେଦନ

ପିଟି ହୁଏ କାନେ ମୋର ସହି !

 

ବସନ୍ତର ଶତ ଶତ ପୁଷ୍ପଗୁଚ୍ଛର ଦିହୁଡ଼ି ପରି

ତୁମର ସେ ହୃଦୟର ଭାଷା

ପଉଷର ବିଷନ୍ନ ନୀରବତା ପରି

ତୁମରି କରୁଣତା

ତୁମ ଓଠର ହସନ୍ତ ଜହ୍ନର ଦିଗନ୍ତ ତଳେ

ଭଙ୍ଗା ମନର ଫିକାତାରା

ଦିଏ ଆଡ଼ରୁଷା ।

 

ମାଇଲ୍‌, ମାଇଲ୍‌, ଅନ୍ଧକାରର ସେତୁ ପାରହୋଇ

ତୁମ ନିବେଦନର ସୁରଭି ଅର୍ଘ୍ୟ

ଏ କୂଳକୁ ଆସେ ସାଥୀ ବହି

ହୋଇଯାଏ ସଙ୍କୁଚିତା

ଏତେ ବଡ଼ ଋତୁମତୀ ବସୁମତୀ ଏକ,

ଆମ ଭଲ ପାଇବାର

କ୍ଷୁଦ୍ର ତଣ୍ଡୁଳକୁ ଆହା

କରେ ତା’ର ପାରେ ନାଇଁ ବହି !

 

ଶୁଣିଛି, ଶୁଣିଛି ସବୁ

ଏଇ ନିର୍ଜନର ପୁରେ ।

ପ୍ରକୃତିର ଶ୍ୟାମ ଶସ୍ୟ-ଅଭୁଲା ଆଖିରେ

ଦେଖୁଛି ତୁମରି ରୂପ.......

 

ଥରେ ହେଲେ ଯାଇ ନାହିଁ ଭୁଲି,

ପୃଥିବୀ ଦେଇଛି ଯାହା

ପାରିବି କି ତା’ରେ ମୁହିଁ

ସାତପର କରି ?

 

ଯେଉଁ ଦିଗେ ଗଲେ ମୁଁ ଗୋ !

ସେଇ ଦିଗେ ତୁମ ଆରାଧନା

ମନ୍ଦିରର ମନ୍ତ୍ରପାଠେ

ତୁମ କଣ୍ଠ ଶବ୍ଦର ଯୋଜନା

ଶୁଣିବି ମୁଁ ରହି

ଜୀବନର ପ୍ରତି କୋଣେ

ମୁଁ ତୁମର ଏକାନ୍ତ ବିରହୀ !

 

ତା ୨୬-୯-୭୬

ବାଣପୁର

Image

 

ଗୋଧୂଳି ଯାତ୍ରା

 

ଏକ ଅସହାୟ ଚିନ୍ତାଧାରା ପରି

ଆକାଶରେ କେବେ କେମିତି

ମେଘ ଖଣ୍ଡେ ଉଡ଼ି ବୁଲୁଚି ।

ତା’ର ତଳେ ତଳେ

ଏକ ଉଡ଼ନ୍ତା ବଗ ପଂକ୍ତିର ଧବଳ ପୁଷ୍ପମାଳା

ଦୋହଲି ଉଠୁଚି ।

ଏକାକୀ ଯାତ୍ରୀ ମୁଁ ଚାଲିଛି......ଚାଲିଛି...... !

 

ଆଗରେ ଦୀର୍ଘପଥ.......

ହିଟ୍‌ଲର୍‌ର ଦୂରଂତ ଅଭିଯାନ ପରି ଅସମାପ୍ତ;

ଦିଗନ୍ତରେ ସୂର୍ଯ୍ୟର ଡୁବିଲା ହାତ

ସାଉଁଟଇ ସୁନୀଳ ପର୍ବତର କେଶ

 

ଧରଣୀରେ ଛାୟାମ୍ଳାନ ଗୋଧୂଳି ସଂଗୀତ ।

 

ଝରାଫୁଲର ଟପ୍‌ ଟପ୍‌ ଶବ୍ଦ...... !

ପାଦତଳେ ମୋର ନିର୍ଜନତା’ର ପୃଥିବୀ

ପତଳା ଅନ୍ଧକାରର ପଣନ୍ତରେ

ମୁହଁଛପା ଦେବା ପାଇଁ ବ୍ୟାକୁଳ

କେଉଁ ଗାଉଁଲୀ ସହଜିଆ ବୋହୂଟିଏ ପରି ।

 

ଏବଂ ଆଗରେ ସେଇ ଦିଗନ୍ତର ଡୋରି

ବାନ୍ଧୁଛି ସୁନୀଳ ଆକାଶର ପୋଥି ।

ମୁଁ ଚାଲିଛି ମୋର ଚଲାପଥର ଧାରେ, ଧାରେ.... !

 

ବିଶ୍ରାମ ନାହିଁ......

କୋଟି କୋଟି ଲକ୍ଷ ମାଇଲ୍‌ ଯାତ୍ରା,

ଅବଶୋଷ ନାହିଁ

ଆଗରେ ପହଞ୍ଚିବାର ସୁନେଲୀ କଳ୍ପନା

ତିକ୍ତତା ନାହିଁ

ମନରେ ଅଫୁରନ୍ତ ଉତ୍ସାହର ସ୍ରୋତ ।

 

ଦିନେ ନା ଦିନେ ଆସିବ ସୁଦିନ,

ପୂରାତନ ଉଭେଇଯିବ

ଏଇ ପରିବର୍ତ୍ତିତ ସମୟ ପରି ।

 

ସେଦିନ କିଏ ଜାଣେ

ହଠାତ୍‌ ପୃଥିବୀର ସମସ୍ତ କୋଣରେ

ବିଞ୍ଚିହୋଇ ପଡ଼ିବ

ବିଜୟ ଗୌରବର ଅଜସ୍ର ମହକ,

ହୃଦୟରେ ଖେଳିଯିବ

ପୁଞ୍ଜୀଭୂତ ଆନନ୍ଦର ଢେଉ

ଆଖିରେ ଆଖିରେ ଖେଳିଯିବ

ନୂତନ ସକାଳର ସୂର୍ଯ୍ୟ,

ବିରାମହୀନ ପାଦ ଦୁଇଟି ମୋର

ଆହୁରି ସୁକଠିଣ ହେବ ।

 

ତା ୨୦-୯-୭୬

ବାଣପୁର

Image

 

ଉପହାର

 

ପୃଥିବୀର ସମସ୍ତ କୋଣ, ଅନୁକୋଣରେ

ସକାଳର ସ୍ୱାକ୍ଷର

ସୁନେଲି କିରଣରେ ଅଙ୍କିତ ହୋଇଯାଏ ।

ଦୂର ସବୁଜ ପାହାଡ଼ର ମଥା ଉପରେ

ଠିଆହୋଇଥିବା ଗେଟିକିଆ ଗଛର ଶାଖାରେ

ଖରାର କଅଁଳ ନାଲିଡ଼ଙ୍କ ଧୀରେ ଧୀରେ ମାଡ଼ିଯାଏ

ଆସ୍ତେ ମାଡ଼ିଯାଏ ।

ରାତ୍ରି ଶେଷର ନିର୍ଜନତାକୁ

ଚହଲେଇ ଚହଲେଇ

ଏକାଧିକବାର କୁକୁଡ଼ାର ଡାକ ଶୁଭେ ।

 

ଏଇ ଭରାପାତ୍ରର ନିଃଶେଷ ଜଳ ପରି

ସରିଯାଏ ରାତ୍ରି......

ଏକ ସୁନ୍ଦର ଉପନ୍ୟାସର କଥାବସ୍ତୁ ପରି

ଆରମ୍ଭ ହୁଏ ସକାଳ

ଜୀବନର ମହକ ବିଛାଡ଼ି ପଡ଼େ

ଦିଗ ଦିଗନ୍ତରେ ।

 

ଘାସଫୁଲ ଖୁସିରେ ଆତ୍ମହରା ହୁଏ ।

ବହୁଦୂରରେ ସବୁଜ ପଲ୍ଲୀଗ୍ରାମରେ

ଅଶିଣ ସକାଳର ଜହ୍ନିଫୁଲ ଫୁଟେ

ପବନରେ ଖେଳି ଖେଳି ଆସେ

ତରୁଣୀ ନାରୀ କଣ୍ଠର ହୁଳହୁଳି ଶବ୍ଦ ।

 

ଅଳ୍ପ ସମୟ ଆଗରୁ

ଯେଉଁ ପୃଥିବୀ ଉପରେ

ଅନ୍ଧକାର ନାଚି ନାଚି ଯାଉଥିଲା

ଚତୁର୍ଦ୍ଦିଗରେ ନିସ୍ତବ୍‌ଧତାର ମଉନ ଶ୍ଳୋକ

ମାଟିର ମଲାଟରେ ଛପି ଛପି ଥିଲା,

ସେ ହଠାତ୍‌ ହେଲା ପରିବର୍ତ୍ତନ ।

 

ଜୀବନର ଏଇ ପ୍ରାକ୍‌ କଥନୀରେ

ସୂର୍ଯ୍ୟର ମତାମତ

ହୋଇଉଠିଲା ଜୀବନ୍ତ ।

 

ହୃଦୟର ବୀଣାରେ

ସୃଷ୍ଟିର ସଙ୍ଗୀତ ହେଲା ମୂର୍ଚ୍ଛିତ;

କର୍ମମୁଖର ମଣିଷ

ହାତ ଉଠାଇଲା

ଧୀରେ ଧୀରେ ଉପରକୁ ।

 

ଆଖିରେ ତା’ର ନୀଳ ଆକାଶର ଦୀପ୍ତି

ହସରେ ତା’ର ତରୁଣ ସୂର୍ଯ୍ୟର ଜ୍ୟୋତି

ପ୍ରାଣରେ ସୃଷ୍ଟିର ସର୍ଜନା

ସକାଳର ସୁବର୍ଣ୍ଣ ଉପହାର

ଜୀବନର ଜୟଯାତ୍ରା ।

 

ତା ୨୩-୯-୭୬

ବାଣପୁର

Image

 

ପ୍ରଥମ ରଜନୀ

 

ପ୍ରଥମ ରଜନୀ ଏବେ ବି ପାହିନି ଏ ମୋର ସ୍ମୃତିର ଦେଶେ

ଏବେ ବି ଖେଳୁଚି ଚନ୍ଦ୍ରର ରାଗ ଘନ ନୀଳ କଇଁ ହସେ

ଏବେ ବି ଦୋଳୁଚି ରଜନୀଗନ୍ଧାନ ମେଲାଇ ପତ୍ର ଡେଣା

ଅଭିସାର ପଥେ ସୁରଭିସିକ୍ତ ବାୟୁ ହୁଏ ବାଟବଣା ।

 

ଏବେ ବି ବାଜୁଛି ଘନ ନିଶୀଥର ଉଜୁଡ଼ା ବିରହ ବେଣୁ

ଘାସ ଫୁଲେ ଫୁଲେ ଉଠଇ ଉକୁଟି ଶିଶିରର ଲୁହ ରେଣୁ

ନଈ ବାଙ୍କରେ କ୍ଷିଣା ତଟିନୀର ଜଳ-କିଙ୍କିଣୀ ନାଦ

ଏବେ ବି ଛାତିରେ ସୃଷ୍ଟି କରଇ ପ୍ରୀତି ପୀୟୂଷର ହ୍ରଦ

 

ପ୍ରଥମ ରଜନୀ ଏବେ ବି ପାହିନି- ତୁମେ କାହିଁ ଗଲ କହ

ହେ ମୋ ଆକାଶର ଉଜ୍ଜ୍ୱଳ ତାରା ! ସରାଗର ସମାରୋହ !

କାହିଁ ଗଲ କାହିଁ ମୋ ଆଖି ଫୁଟାଇ ଆଗୋ ଆଲୋକର ମଣି

ଏ ମୋର ବକ୍ଷେ ନିରାନନ୍ଦର ଘନ ଅନ୍ଧାର ବୁଣି !!

 

ସାରା ଜଗତର ଆଶା ଭଣ୍ଡାର ଯେବେ ଗୋ ପୂର୍ଣ୍ଣ ହେଲା

ଆନନ୍ଦମୟ ପାତ୍ରରେ ଯେବେ ଅମୃତ ଚହଲିଲା

 

 

ସେକାଳେ ଲୁଚିଲ କାହିଁ ସରାଗିନୀ ! ସନ୍ୟାସିନୀର ଭାବେ

ପ୍ରଥମ ରଜନୀ ଏବେ ବି ପାହିନି, ଉଇଁନି ସୂର୍ଯ୍ୟ କେବେ !!

 

ତା ୨୮ । ମେ ।୭୭

ବାଣପୁର

Image

 

କ୍ରମ-ବିକାଶ

 

ବିଗତ ଦିନର ସ୍ମୃତିସବୁ କେଡ଼େ ବେଦନାତୁର

ରୁଗ୍‌ଣ ଅଶ୍ୱର ଚାଲିପରି ମନ୍ଥର

ଦୟନୀୟ !

ବିଗତ ଦିନର କଥାସବୁ କେତେ ଶୋକାପ୍ଳୁତ

ଆଷାଢ଼ର ଆକାଶ ପରି ମେଘାବୃତ

ଅଶ୍ରୁମୟ !!

 

ତଥାପି ଆମେ ବଞ୍ଚିଛୁ

ସବୁଠାରୁ ଆନନ୍ଦର କଥା !

ଜୀବନର ଏଇ ବିରାଟ ବୃନ୍ତରେ

ଅନେକ ଋତୁର ଦଂଶନ ପରେ

ପୁଣି ଫୁଟିଛି ବସନ୍ତର ଫୁଲ

ସକାଳର ପବନରେ ଢଳ ଢଳ

ସୁନ୍ଦର, କୋମଳ ।

 

ଆଗରେ ଦିଶୁଛି ଅସୀମ ଦିନର ଆହ୍ୱାନ ।

ସୁଖ ପରେ ଦୁଃଖ ଆସେ

ଯେମିତି ଆସେ ହେମନ୍ତ ପରେ ବସନ୍ତ,

ସବୁର ଏଇ ପରିବର୍ତ୍ତନରେ

ଏକ କ୍ରମବିକାଶର ଚିହ୍ନ

ଆଉ ପରିଶେଷରେ

ସେଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର

ଏକ ଅନ୍ତିମ ଭାବାବେଗ ।

 

ତା ୪ । ମେ ।୭୭

Image

 

ପାହାଡ଼ର ରଙ୍ଗ

 

ଦୂରେ ଝଲମଲ ଦିଶୁଛି ସୁନାର ପାହାଡ଼ ।

ପ୍ରତିଦିନ ସକାଳ ଫାଟି ପଡ଼ିଲେ

ରାଶି ରାଶି ସୁନା ରଙ୍ଗର ଖରା

ବୁଣି ହୋଇ ପଡ଼େ ଚତୁର୍ଦ୍ଦିଗରେ

ପାଚିଲା କ୍ଷେତର କିଆରୀରେ

ପ୍ରଥମ ବସନ୍ତର ମଳୟ ପବନ

ଗୋପନରେ ଚୁମା ଦେଇ ଚାଲିଯାଏ

ଆଉ ସେଇ ପାହାଡ଼ଟା

ଝଲ୍‌ମଲ୍‌ କରି ଉଠେ ।

 

ଶୀତର ପାଉଁଶିଆ ଆକାଶକୁ ଘୋଡ଼ିହୋଇ

ମୌନ ସନ୍ନ୍ୟାସୀ ପରି ସେ ବସିଥାଏ

ଆଷାଢ଼ର ମେଘମେଦୁର ଆକାଶତଳେ

ଟୁପର୍‌ ଟାପର୍‌ ବର୍ଷାରେ

ସେ ଛନ ଛନ ହୋଇଉଠେ;

ଆଉ ବସନ୍ତର ପ୍ରଥମ ପଦପାତରେ

ସର୍ବାଙ୍ଗ ତା’ର ଶିହରିଉଠେ

ଏକ କମନୀୟ ସ୍ୱପ୍ନରେ ।

 

ମୋର ଅଟଳ ମନ ପରି

ଏଇ ଅବିଚଳ ପାହାଡ଼;

ଜୀବନର ଶପଥ ପରି

ତା’ର ଉନ୍ନତ ଗିରିଶୃଙ୍ଗ

ଆଉ ଅଙ୍ଗରେ ଅଙ୍ଗରେ

ଅନେକ୍‌ ରଙ୍ଗ ।

ଏଇ ଅସ୍ତଗାମୀ ସୂର୍ଯ୍ୟର ବିଦାୟ ପଥରେ

ସେଇ ପାହାଡ଼କୁ ମୁଁ ନମସ୍କାର କରୁଛି ।

 

ତା ୪ । ୫ । ୭୭

Image

 

ଚଲାପଥ

 

ଆଗୋ ଚଲାପଥ ବାଲି !

ତୁମରି ବୁକୁରେ ମୋ ଚରଣ ତଳ କି ଲେଖିଛି କହ କାଲି !

 

ମନେପଡ଼େ ଆଜି ଗତ ଅତୀତର ଅଶ୍ରୁଳ ନଈଧାରେ

ବାଜିଥିଲା ଯେବେ ହୃଦୟବଂଶୀ ହରାଇ ଆପଣା କାରେ

ତୁମେ ରଖିଥିଲ ସାଇତି ସେସବୁ ଅଞ୍ଚଳ ତଳ ପାତି

ତୁମରି ବୁକୁର ରେଖାରେ ଫୁଟିଛି ମୋହରି ବୁକୁର ତାତି !

 

ତୁମ ତନୁରେଖା ମୋହରି ଅଲେଖା ସ୍ମୃତିର ବ୍ୟଥିତ ଗାନ

ଗାଇଛି ନୀରବେ ଆଗୋ ଚଲାପଥ ! ପଡ଼େନି କି ଆଜି ମନ ?

ସେ କେଉଁ ମଧ୍ୟାହ୍ନରେ

ନୀଳ ଆକାଶର ପାତ୍ରୁ ଅଜାଡ଼ି ତରଳ ରଶ୍ମିଧାରେ

ହସୁଥିଲା ଯେବେ ରୁଦ୍ର ତପନ, ଏକାକୀ ପତିକ ମୁହିଁ

ଚାଲିଥିଲି ତୁମ ପଥେ ପଥେ ସତେ ଅନନ୍ତ ଗୀତି ଗାଇ !

ସେଦିନ ବିଜନ ବେଳାରେ ତୁମରି ପଥ-ପ୍ରାନ୍ତର ତୀରେ

ସାଥୀହରା କେଉଁ ବିଧୂରା କପୋତୀ କରୁଣ-ବିଳାପ-ସୁରେ

କନ୍ଦାଉଥିଲା ବାର ବାର ମୋର ଆହତମନର ବୀଣା

‘ସାଥୀ ତୁମେ ମୋର ହେଲେ ବି ଗୋ ପର, ମୁହିଁ ତୁମ ପାଇଁ କିଣା’

 

କହୁଥିଲା କାନେ ତପ୍ତ ପବନେ ପଥେ ଚାଲିବାର ବେଳେ

ସ୍ମୃତିର ସେ ମାଳ ଦେଇଛି ଝୁଲାଇ ଆଗୋ ପଥ ! ତୁମ ଗଳେ !!

ମୋର ପଦରେଖା ଅସୀମ ଯାତ୍ରା ସଂକେତ ଦେଇ ଦେଇ

ଯାଇଛି ଯେ କାଳେ, ସେ ସମୟ କୂଳେ ପୁଣି ଆଉ ଫେରି ନାହିଁ,

ଅଫେରା ଯାତ୍ରୀ–ଆସିଛି ତା’ ପାଇଁ ଦୁଃଖ, ତମସା ଘୋର

ଅସରା ରାତ୍ରି–ଦେଖିନି ସକାଳ ସଙ୍ଖୋଳି ଆସିବାର !

 

ତଥାପି ଗୋ ପଥ ! ମୋର ପଦରେଖା ତୁମରି ବୁକୁରେ ରଖି

ଆସିଛି ମୋହର ଗତ ଜୀବନର ଗୌରବ ଲେଖା ଲେଖି;

ଲିଭିଯାଉ ପଛେ ଦୁଃଖ ମୋ ନାହିଁ, ମୋର ଏ ଅଙ୍ଗ ଲେଖା

ତୁମରି ମଳିନ ଅଙ୍ଗ-ମୁକୁରେ ଯେବେ ଗୋ ହୋଇଲା ମଖା

 

ଶ୍ରାନ୍ତ ମୋ ସ୍ୱେଦ-କଣିକା ଯେବେ ମୋ ଛୁଇଁଲା ତୁମରି ତନୁ

ସବୁଠାରୁ ବଳି ପ୍ରିୟ ଗୋ ମୋହର ହୋଇଅଛି ସେହିଦିନୁ ।

Image

 

ଆଶୀର୍ବାଦ

 

ପ୍ରିୟତମା ଯୋସେଫାଇନ୍‍ !

ତୁମରି କଥା ମନେ ପଡ଼ୁଛି ।

ଏଇ ସଂଧ୍ୟାର ଲୁହଭରା ନୟନର କଜଳରେ,

ଶିଶିରର ସିକ୍ତ ନରମ ଗାଲରେ

ତୁମରି ମମତା.......

 

ରାଶି ରାଶି ହୋଇ ବିଛେଇ ପଡ଼ିଛି !

ମୋର ହୃଦୟର ଚଟାଣରେ

ଆଗୋ ଯୋସେଫାଇନ୍‌ !

ତୁମରି ନୂପୁରର ଶିଞ୍ଜିନୀ.......,

ଆଃ.....ଖୁଉବ୍‌ ମନେ ପଡ଼ୁଛି !!!

 

ସ୍ମୃତିର ପିଆଲାରେ ମୋର

ଆଜି ଉଠେ ବ୍ୟଥାର କଲ୍ଲୋଳ

ଏଇ ସଂଧ୍ୟାର ତାରା......

ସେ’କି ତବ-କୁନ୍ତଳର ଗୁମ୍ଫିତ ବକୁଳ !

ଏଇ ପୃଥିବୀ.......

 

ହାୟ ! ଆଦରର ପୃଥିବୀ,

ସେ’କି ଆମ ହୃଦୟର ସେନେହ ଅତୁଳ.... ?

କିଛି ବୁଝି ପାରେନା.....

ସମ୍ମୁଖରେ ସେଣ୍ଟ୍‌ ହେଲେନା..... !!

ଏଇ ନିର୍ଜନ୍‌ କାରାବାସ,

ଶୋଷିନିଏ ପଳେ ପଳେ ଜୀବନରୁ ସମସ୍ତ ଆୟୁଷ;

ମୋ ଦେହରେ ଥରେ ହାତ ବୁଲାଇ ନିଅ !

 

ଦେଖ.... !

ସେଦିନର ସେଇ ପ୍ରିୟତମ ନେପୋଲିୟନ୍‌

କେତେ ରକ୍ତର ଉଷ୍ମତା’ରେ ତୁମକୁ ମାପିଥିଲା

କେତେ ସଂଗ୍ରାମର ସୈକତରେ......

ତୁମରି ପଦଚିହ୍ନ ବାରମ୍ୱାର ଲେଖୁଥିଲା,

ଆଉ ବିଶ୍ୱ ବିଜୟର ମତୁଆଲା ନିଶାରେ

ତୁମରି ପ୍ରଣୟର ସ୍ୱାଦକୁ ବାରମ୍ୱାର ଚାଖୁଥିଲା !!!

 

ଆଜି କାହିଁ ?

ଯୋସେଫାଇନ୍‌ ! ସେ ସବୁ କାହିଁ ??

ମୋ ଆଖିରେ ତୁମରି କବର ହସି ଉଠୁଚି !

ଏ ପଟେ ସାଗରର ନୀଳ ନୂପୁରର ଧ୍ୱନି

ବିଷ-କନ୍ୟାର ପାପୁଲି ପରି କାନରେ ବାଜୁଛି !

ମଥାରେ ମୋର ମୃତ୍ୟୁର ଆଶୀର୍ବାଦ !!!

Image

 

ଶ୍ରାବଣ

 

ଅନେକ ଦିନର ମୋର ନିଶୂନ୍‌ ଶୋଷିଲା ହାଟେ

ହେ ଶ୍ରାବଣ ! ଶୁଣାଯାଏ ଆଜି ତୁମ ପାଦର ଚହଳ

କୃଷ୍ଣ ମେଘ-ବାତାୟନୁ

ତୁମ ଚୂର୍ଣ୍ଣ ସଲିଳ-ପଲ୍ୱଳ

ପଡ଼େ ଏଇ ପୃଥିବୀରେ,

କହ ତୁମେ କା’ ଲାଗି ଉଦବେଳ ?

କେଉଁ ଭାଷା ପଠାଇଛ ଏତେଦିନ ପରେ

ଏଇ ଧରଣୀରେ ?

ତୁମରି ସଲିଳ ପତ୍ରେ ଆଙ୍କିଛ କି ତୁମେ ଭୀରୁ ହୃଦୟର ଲେଖା

ଯା’ରେ ଦେଖି ଏ ସୃଷ୍ଟିର ତରୁ, ଲତା, ଜୀବନର ଶାଖା

ନୂତନ ରୋମାଞ୍ଚ ନେଇ ଭେଟିବ ତୁମରେ

ବହୁଦିନ ପରେ ।

ବହୁ ଦିନ ପରେ ସତେ ଏ ମାଟିର ଅଞ୍ଜଳିରେ

ଭରିଯିବ ସବୁଜର କୁସୁମିତ ପ୍ରାଣ

ହେ ଶ୍ରାବଣ ! ତୁମ ଆଗେ ସ୍ୱାଗତ ତୋରଣ–

ରଚିବ ଏ ମେହନତି ଝାଳର ଫସଲ,

ହସିବ ମଣିଷ ଆଗେ ରଙ୍ଗଭରା ଜୀବନର ଫୁଲ ।

ତୁମେ କ’ଣ ଏ ଧରାର ଆଗନ୍ତୁକା ବଧୂ ?

ତୁମ ପାଇଁ ଭରାନଦୀକୂଳେ ବାଜେ ବେସୁରା ବଇଁଶି

ଅଙ୍କାହୁଏ ଝରା-ଫୁଲ ରଙ୍ଗୀନ୍‌ ମୁରୁଜ.....

ଚଉଦିଗେ ଲାଗେ ସଜବାଜ ।

ତୁମରି ସ୍ୱାଗତି ଗାଏ ସମୟର ଜ୍ୱଳନ୍ତ ମହୁରୀ

ଶତାବ୍ଦୀର କବି ଆଗେ

ଖସିଆସେ ତୁମରି ସେ ବିସ୍ରସ୍ତ କବରୀ

 

ରଚନାକାଳ-

ତା ୪। ଅଗଷ୍ଟ । ୧୯୭୩

Image

 

ଚିତ୍ର

 

ବିତି ଯାଇଛି ଅନେକ୍‌ ଦିନ

ଅନେକ ଆଶ୍ୱିନ,

ଫୁଲଫୁଟା ସଂଜର ସପନ

ଚାଲି ଯାଇଛି.......

କେଉଁ ଏକ ବିଗତ ଯୌବନା ବଧୂର ହସପରି !

ତଥାପି ଏଇ କେନାଲ୍‌ କୂଳରେ

ଗ୍ରାମର ସୀମାନ୍ତରେ,

କାହାର ଚରଣ ନୂପୁର-ଚଳ-ଚଞ୍ଚଳ ଲୀଳାରେ

ବସନ୍ତର ଶିମୁଳୀଫୁଲ ବିହ୍ୱଳିତ ହୁଏ ।

କାଚର ଝଣ୍‌ ଝଣ୍‌ ଶବ୍ଦ ।

 

ବାହାଘରର ହୁଳହୁଳି

ଅନେକ୍‌ ବାଉଳି–

ମତେ କ’ଣ ତୁମର ସେ ସ୍ମୃତିର ଅଳତାରେ ଦେଇଛ ପଖାଳି ?

ମତେ କ’ଣ ନେଇ ତମେ ରଚିଅଛ କେବେ ପଶାଖେଳ

ହେ ଅତିତ ବିସ୍ମୃତ-କଲ୍ଲୋଳ !?

ମୁଁ କିନ୍ତୁ ତୁମ ଦେହେ ଯାଇଅଛି ମିଶି

ଅନେକ୍‌ ଦିନରୁ ।

 

ତମ ଦେହ ରଙ୍ଗ ଆଉ ସଚପଳ ଭୂରୁ

ମତେ ନେଇ ହୋଇଅଛି ଅନେକ୍‌ ସୁନ୍ଦର......

ସଷ୍ଟିରେ ବିହ୍ୱଳା ତୁମେ,

ଜାଣିନାହଁ ତୁମ ଦେହେ ଆଙ୍କିଛି ମୁଁ କଳଙ୍କର ଗାର !

 

ହେ ଅତିତ-ତିକ୍ତ ମଉସୁମୀ !

ଦେଖିନାହଁ ତମେ,

ଏଇ କେନାଲ୍‌ର କୂଳ, ତୁମରି କଲ୍ଳୋଳ

କେତେଥର ଯାଇଅଛି ଚୁମି,

ମୁହଁ ସଞ୍ଜେ,

ମଧୁମାଳତୀର ବାସ୍ନା ଯାଇଛି ସରମି !

ଆଜି ମନେ ପଡ଼େ

ଖୁଉବ୍‌ ମନେପଡ଼େ

ଯେତେବେଳେ ତମ ଚିତ୍ର

ମୋ ଆଖିର ସୂତାରେ ଦଉଡ଼ି ।

 

ରଚନାକାଳ-

ତା ୧୮ । ମାର୍ଚ୍ଚ । ୧୯୭୭

Image

 

ରାତି

 

ଗଭୀର ରାତ୍ରି ! ଗଳେ ତୁମ କୋଟି ତାରକାର ହାର ଦୋଳେ

ତଳେ ପୃଥିବୀର ବିଧୂର ବକ୍ଷେ ଜୀବନର ଚିତା ଜଳେ !

ଚଳଇ ଯାତ୍ରି, ସମ୍ମୁଖେ ତା’ର ତୁମରି ପଣନ୍ତ ଛାଇ

ଢାଙ୍କିଦିଏ ମୋ ନୟନ ବେଳାର ସଜଳ-ଅଶ୍ରୁ-ନଇ !

 

ଆଗୋ ଆଲୋକର ପ୍ରିୟା ! କହ କାହିଁ ଆଲୋକର ଉତ୍ସବ

ଚଉଦିଗେ ଖାଲି ଅନ୍ଧକାରର ବନ୍ଦନା ଆଉ ସ୍ତବ,

ଶୁଣୁଛି ମୁଁ ରହି; କାହିଁ ସହେ ବିରହୀ ସୁଦୂର ଆଲୋକ ପ୍ରିୟ

ଯା’ରେ ଦେଖି ତୁମେ ଲୁଚ ଅଭିମାନେ ଗୁଣ୍ଠନ ତୋଳି ହାୟ !

 

ତୁମରି କକ୍ଷ-ପ୍ରାଚୀର ଦୁଆରେ ନ ବାଜୁ ତା’ ପଦ ଧ୍ୱନି

ଆଗୋ ଅଭିମାନ ! ଲୁଚ କେଉଁଦିଗେ ? ତୁମରି ପଣନ୍ତ କାନି-

ଝୁଲେନାତ ଆଉ ଆକାଶ ତୋରଣେ, ବାଜେନା ବୀଜନ-ବୀଣା

କଥା କହିବାର ଛଳନାରେ ମନ ହୁଏ ନାହିଁ ବିକା କିଣା !

 

ସରମେ ଫୁଟାଇ ଶତ ନୀଳକଇଁ, ଆଗୋ ବାନ୍ଧବୀ ରାତି

ସକାଳର ପାଇଁ ଉପହାର ଦେଇ ଲିଭାଅ ମିଳନ-ବତୀ !

ତୁମରି ମିଳନ କଥାରେ କଥାରେ ରହିଗଲା ଖାଲି ସିନା

ହରାଇ ତୁମରେ ବିଶ୍ୱ-ଦୁଆରେ,

ଚିର ଅଭିମାନୀ ଆଲୋକ ତୋଳିଲା ଦୁର୍ବାର ଜୟବାନା !

 

ହାୟ ବଧୂ ! ତୋର ନରମ ଚିକୁରେ ନୁଖୁରା ମାଟିର ଧୂଳି

ଗଳେ ତାରକାର ହାର ଲୁଳେ କୋଳେ ଉଠେ ପ୍ରାଣ ଚିତା ଜଳି !

କାହିଁ ଗୋ ଆଲୋକ ! ଯା’ର ଅଭିଷେକ ହେବ ତୋ’ ସମାଧି ପୀଠେ

ଆପଣା ବୁକୁର ବିରହ ଅଜାଡ଼ି ଶିଶିର ଅଶ୍ରୁ-ପୁଟେ

କାନ୍ଦିବ ଯେବେ ସକାଳ ସୂର୍ଯ୍ୟ, ହରାଇ ତୁମକୁ ବଧୂ

ସେ ଲୁହ କଣାରୁ ସାଉଁଟିବୁ ଆମେ ଚିର ଅମୃତ-ମଧୁ ।

 

ରଚନାକାଳ-

ନଭେମ୍ୱର । ୧୯୭୨ । ବଡ଼କୂଳ

Image

 

ଡାକ୍ତର ଖାନା

 

ଏଇ ନିଶୂନ୍‌ ଜହ୍ନରାତି

ହାୟ ! କେତେ ଦୀର୍ଘ !

କେଉଁ ଭୋକିଲା ମଣିଷର ଶେତା ଆଖିପରି

ଜୁଳୁ ଜୁଳୁ କରିଉଠେ ସହସ୍ର ତାରାର ଫୁଲଝରି,

ଏକାକୀ ମୁଁ,

 

ମୋ ଆଗରେ ଭାବନାର ଗୋଳିଆ ପୋଖରୀ !

ନିର୍ଜନ୍‌ ତୁଠର ବେଦନା,

ଏଇ ରକ୍ତ କଇଁ କ’ଣ ବୁଝିବ ?

ଶଂକିତ ଏ ରାତ୍ରି-ଯାମେ

କେଉଁ କ୍ଷୁବ୍‌ଧ ସାଗରର ଯାତ୍ରି-ବାହୀ-ନାବ

 

ଟଳ ମଳ ହେଲାପରି

ମୋ ମନରେ ଦେଖାଦିଏ’ ଆଶଂକା ତାଣ୍ଡବ !

ବରଗଛର ଡାଳଟା ନଇଁ ପଡ଼ିଛି.....

ଜୀଅନ୍ତା ମଶାଣିର ପେତୁଣୀ ପରି !

ଆକାଶରେ ଥଣ୍ଡା ଜହ୍ନ

 

ଚିରିଦେଇ ଧଳାମେଘର ଅଡ଼ୁଆ ମଶାରି

ଚାଲିଯାଏ ଥିରି ଥିରି.......

(ସତେ ଅବା ପରିତ୍ୟକ୍ତା କେଉଁ ଏକ କଳଙ୍କତା ନାରୀ !)

କେଉଁ ନବ ଦମ୍ପତ୍ତିର ବିଚ୍ଛେଦ କାତର

 

ଏଇ ସ୍ୱର......

ନା......ନା......ବ୍ୟସ୍ତ ଏକ ତରୁଣୀ ନର୍ସର

ଡାକ୍ତର ଖାନାରେ ଥିବା ରୋଗୀପ୍ରତି ନିଶ୍ଚୁପ୍‌ ଆଦେଶ୍‌ ।

ସାଲାଇନ୍‌ ବୋତଲର ଭିଡ଼

ନାଲି, ନେଳି ପାଣିର ଆଷାଢ଼

 

ଶବ୍ଦାୟିତ କରେ ଆହା ! ନର୍ଦ୍ଦମାର ନକଲି ପାହୁଡ଼ !

ଗନ୍ଧ ଉଠୁଚି ! ନର୍ଦ୍ଦମାର ଗନ୍ଧ !

ପରିତ୍ୟକ୍ତ ପ୍ରଣୟର ଅନେକ ପ୍ରବନ୍ଧ.....

ଟୁକୁରା କାଗଜ ପରି ହଜିଯାଏ ଏଇ ଜହ୍ନ ରାତେ,

(ତମେ କ’ଣ କେତେବେଳେ ଖୋଜିବସ ମତେ ?)

 

ଅନାବଶ୍ୟକ !

ଏଇ ଦୀର୍ଘ ରାତିର ରୋଗଗ୍ରସ୍ତ ବିକାର ପୋଷାକ

ଛିନ୍ନ କରି ଖୋଜେ ମୁହିଁ ସକାଳର ଦେହ,

ଯା’ ଉପରେ ଆଗାମୀର ସ୍ୱପ୍ନିଳ ସେନେହ

ମୁକ୍ତ ହସ୍ତ ଚାଳି ତା’ରେ କରିବ ସୁନ୍ଦର ।

ଆଜିର ବିଷନ୍ନ ରାତେ

ମୁଁ ଚାହେଁ ସେଇ ପଥ.....

କରିବାକୁ ଏକ ସ୍ୱର୍ଗଦ୍ୱାର ।

 

ରଚନାକାଳ-

ତା ୧୩ । ୧୧ । ୭୨

Image

 

ମାନଚିତ୍ର

 

ଏଇ ପଦ୍ମପୋଖରୀ,

ମେଞ୍ଚା ମେଞ୍ଚା ପାଣିର ନୀଳ କାଗଜରେ

ଡିସେମ୍ୱରର ଶୀତଳ ହାଓ୍ୱା ।

ଦୂରରେ ଧାଡ଼ିବାନ୍ଧି ଠିଆ ହୋଇଛି

ନଡ଼ା ଛାଉଣୀର ଏକ ଗାଆଁ......

ବିରହିଣୀ ‘ବନଲତା’ର ଗାଆଁ ।

 

ଏଇ ପଦ୍ମ ପୋଖରୀ

ଚୁପ୍‌ ଚୁପ୍‌ ଛପି ଆସି ଛୁଇଁଅଛି ସେ ପାଖୁ ‘ସୋଲରୀ’

ଦୁଇ, ଚାରି ଝାମ୍ପୁରା ତେନ୍ତୁଳିର ଗଛ

ଜୀଅନ୍ତା ଘାସର ପଡ଼ିଆ,

ପବନରେ ଖେଳି ଖେଳି ଭାସିଆସେ

ଚଳନ୍ତା ଟ୍ରେନ୍‌ର ଧୂଆଁ,

ମାଟି ସଙ୍ଗେ ମାଟି ହୋଇ

କାମ କରୁଥିବା କେଉଁ ମେହନତି ବାଳିକାର

କଳାତନୁ ପରି ମହଳଣ ଧୂଆଁ,

ହେଇଟି ସେଇ ଶଙ୍ଖ ସେପଟେ,

‘ବନଲତାର’ ଗାଆଁ ।

 

ଏଇ ନୀଳ ପାଣିର ପଦ୍ମ ପୋଖରୀ,

ଚାରିପାଖେ ଛନ ଛନ ଧାନର କିଆରୀ

ଲଜ୍ଜାବତୀ ବନଲତାର ନୀଳ ଶାଢ଼ୀ ପରି

ବେଳେ ବେଳେ ପବନରେ ଢେଉ ଭାଙ୍ଗୁଚି,

 

ଅନେକ ଦୂରରୁ ଲମ୍ୱି ଆସିଛି ‘କଂସାରୀ’ ନଈର

ଏକ ଶୀତଳ ଜଳଧାର ।

ଅନେକ ଦିନର ବନ୍ଧ୍ୟା ପରେ କେଉଁ ଏକ ସନ୍ତାନବତୀର

ଉଚ୍ଛ୍ୱସିତ ବାତ୍ସଲ୍ୟ ମମତା ପରି ଛଳଛଳ ନୀଳ ।

ପାଣିର ଲାଇନ୍‌ ପାର ହେଲେ

 

ସେଇ ନୁଆଣିଆ ଚାଳଘର

ରୂପଶ୍ରୀ ବନଲତାର ।

ଟ୍ରେନ୍‌ର ହୁଇସିଲ୍‌ ଶୁଭୁଛି,

ଅଶ୍ରୁମତୀ ବନଲତା କାନ୍ଦୁଛି !

ସାଗରର ଝଡ଼ ପରି କ୍ରନ୍ଦନ

 

ବିଗଳିତ ତା’ ଅଶ୍ରୁର ବୁନ୍ଦା ବୁନ୍ଦା ବିଖଣ୍ଡିତ ଜହ୍ନ

ମୁହଁର ଆକାଶେ ତା’ର

ସୃଷ୍ଟି କରିଛି ହଠାତ୍‌ ସାୟାହ୍ନ !

ଚଉଦିଗେ ବିଷଣ୍ଣ ସଞ୍ଜର କଳା-ପତାକା

ମୁଣ୍ଡ ଟେକିଛି,

 

ଆଗରେ ବନଲତା ଶୋଇଛି,

କଳା ରାତିର ଚାଦର ଘୋଡ଼ିହୋଇ !

ସେ ଆତ୍ମହତ୍ୟା କରିଛି !!!

 

ରଚନାକାଳ-

ତା ୩୧ ଜାନୁଆରୀ । ୭୪

Image

 

‘ସୋଲରୀ’ – ବାଣପୁର ନିକଟସ୍ଥ ଏକ ପାହାଡ଼ର ନାମ

‘କଂସାରୀ’ – ବାଣପୁରର ଏକ କ୍ଷୁଦ୍ର ନଦୀର ନାମ

 

ପାନ୍ଥଶାଳା

 

ଦିଗ୍‌ବଳୟର ନୀଳ ତୋରଣରେ ସୂର୍ଯ୍ୟ ପଡ଼ୁଛି ଢଳି

ଚଞ୍ଚଳ କର ଚରଣ ଯୁଗଳ ତୋ’ର

କୁସୁମିତ ଜୁଡ଼ା-ବେଢ଼ାରେ ଲାଗିଛି ଗନ୍ଧର ଲୁଚକାଳି

ରାସ୍ତା ଗୋ ଅଛି, ରାସ୍ତା ଗୋ ବହୁ ଦୂର ।

ଅନାଗତ ରାତି ଅଧରେ ଅଧୀର ହାଇର ବନ୍ୟା ଛୁଟେ

ପଥ ଶୂନ୍‌ଶାନ, ବାଜେ ନିର୍ଜନ ବେଣୁ

ବିରହୀ ଚକୋରୀ ଚାହେଁ ଫେରି ଫେରି ଆପଣାର ଚଲାବାଟେ

ଆଖିତୀରୁ ବୁଣି ତପ୍ତ ଲୋତକ-ରେଣୁ !

ପଥ ପ୍ରାନ୍ତରେ ଏକାନ୍ତେ ଆମେ ପାନ୍ଥ ଗୋ ଦୁଇ ଜଣ

କାହିଁ କେତେ ଦୂରେ ଅଛି ଗୋ ପାନ୍ଥଶାଳା

କାହିଁ କେତେ ଦୂରେ ଆମରି ଜୀବନ-ନୂପୁରର ନିକ୍ୱଣ

ଉଠେ ଗୋ ଗୁମରି, ପାରୁନ କି ଶୁଣି ବାଳା ?

ହୁଅନା ଚକିତ ଦେଖି ବହୁଦୂର ରାସ୍ତାର କଳା ଛାଇ

କର୍ଣ୍ଣରେ ଶୁଣ ଦୂର ଜୀବନର ଗୀତି

ଅନ୍ତରେ ଘେନ ପ୍ରାଣ କମ୍ପିତ ସକରୁଣ ସାହନାଇ

ଧୀରେ ଧୀରେ କର ପଥର ତୁମରି ଛାତି !

ଅବସାଦଭରା ଗରଳ ପାତ୍ରେ ଲଗାଅ ତୁମରି ଓଠ

ହସି ହସି ଏଇ ଦୁନିଆକୁ ଯାଅ ଭୁଲି

ଅଶ୍ରୁଳ ଆମ ଇତିହାସ ଆଉ କରନା ନୀରବେ ପାଠ

ଯିବାର ଯା’ ଥିଲା ଛାଡ଼ି ଦିଅ ଯାଉ ଚାଲି !!

କି ହେବ ଅତୀତ ନିଷ୍ଠୁର ସେ ତ, ତା’ ପାଇଁ ଦରଦ କିଆଁ

କିପାଇଁ ଢାଳିବା ତା’ ପାଇଁ ଅଶ୍ରୁଧାର

ପୁଷ୍ପିତ ଆମ ଜୀବନୋତ୍ସବେ କାହିଁକି ଜାଳିବା ନିଆଁ

ସରି ନାହିଁ ପଥ, ଅଛି ଗୋ ବହୁତ ଦୂର !

ଡାକୁଛି ଆଗାମୀ-ପ୍ରାଣ-ମଉସୁମୀ, ଡାକୁଛି ପାନ୍ଥଶାଳା

ଚଞ୍ଚଳ କର ଚରଣ ଯୁଗଳ ସହି,

ବହୁ ଦୂରେ ଆମ ଦୁଇଟି ଜୀବନ-ନୂତନ ଚରମ ବେଳା

ରହିଛି ଗୋ ସତେ, ରହିଛି ଆକୁଳେ ଚାହିଁ ।

Image

 

ଅସ୍ତରାଗର ବୀଣା

 

ଆସିଛି ରାତି, ଖୋଲ ଗୋ ସାଥୀ ବଦ୍ଧ ଜୁଡ଼ା ତୋ’ର

ଦିଅ ମୋ ଗଳେ ପରାଣାକୁଳେ ଅନ୍ତରର ହାର

ଜୀବନ ମୋର ଜୀବନ ନିଅ

ମୃତ୍ୟୁ-ହିମ ପରଶ ଦିଅ

ଚୁମ୍ୱନର ଦଂଶନରେ ଦଗ୍‌ଧ ମତେ କର !

ଏଇ ଧରାର ନୀଳ ସପନେ ପଦ୍ମବନ ରଚି

ଫୁଲର ଶେଯେ ଢଳିବା ଆଗୁଁ ପ୍ରଣୟ-ମଧୁ-ବୀଚି

ଖେଳାଉ ଦେହେ ବିଷର ଜ୍ୱାଳା

ସମ୍ମୋହିତ ବିଜନ ବେଳା

ମରଣର ମୋ ଉତ୍ସବରେ ବିହ୍ୱଳେ ଉଠୁ ନାଚି !

ନିର୍ଜନର ବଇଁଶୀ ବାଇ ଦୁନିଆଁ ବାଟ, ଘାଟେ

ଅଥବା କେଉଁ ଜୋଛନା ଧୁଆ ପୋଖରୀ, ନଈ ତୁଠେ

ତୋଳିବା ପାଇଁ ଜୀବନ-ଫୁଲ

ମତେ ଗୋ ଆଉ ଲାଗେନା ଭଲ

ଇଚ୍ଛା ମୋର ଚଳିବା ଲାଗି ମୃତ୍ୟୁମୟୀ ପୀଠେ !

ମୃତ୍ୟୁ ମୋର ଅମୃତର ସୁଦୂର କଳପନା

ପ୍ରଣୟ ମୋର ଏ ପରାଣର ଅସ୍ତରାଗ ବୀଣା

ଜାଣେ ମୁଁ ଜାଣେ ସଜନୀ ମୋର

ଖୋଲ ଗୋ ତୋର କୁସୁମ ହାର

ଦିଅ ମୋ ଗଳେ ସର୍ପ ହୋଇ ତୋଳୁ ସେ ତା’ର ଫଣା !

ସପନମୟୀ ସଙ୍ଗିନୀ ଗୋ ! ପରାଣଭରି ହସ

ହୁଅ ଗୋ ଆଜି ମୋହରି ଲାଗି ଭୈରବୀର ବେଶ

ଶୀତଳ ମୋର ଶଯ୍ୟାପରେ

ବୁଲାଅ ହାତ, ବୁଲାଅ ଥରେ

ଖୋଲ ଗୋ ତୋ’ର ବଦ୍ଧ-ଜୁଡ଼ା, ଶିଥିଳ କର ବାସ ।

ମୁକୁଳା ତୋ’ର କବରୀ ତଳେ ଲୁଚାଇ ମୋର ମୁହଁ

ପଡ଼ିବି ଶୋଇ, ଉଠିବି ନାହିଁ, ଢାଳିବି ନାଇଁ ଲୁହ

ପ୍ରଣୟିନୀର ଚିହ୍ନ ନେଇ

ଶଯ୍ୟାରେ ମୋ ବସିବ ଚେଇଁ

ଯୁଗ ଯୁଗର ଇତିହାସର ବକ୍ଷେ ଭରି କୋହ !!

Image